ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇ ସମଗ୍ର ଅଞ୍ଚଳକୁ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ଭରିଦେଇଛି। ଚୈତ୍ର ମାସ ପ୍ରବେଶ ସହିତ ଗାଁ ଠାରୁ ପୁର ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦଣ୍ଡ କାଳୀଙ୍କ ଦଣ୍ଡ ନାଚ ରେ ଦାଣ୍ଡ ଦୁଲୁକୁଛି। ଘଣ୍ଟ, ଘଣ୍ଟା, ଝୁଣା ଓ ଧୂପର ସୁଗନ୍ଧରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ଭକ୍ତମାନେ ମା’ କାଳୀଙ୍କ ଉପରେ ଅଟୁଟ ବିଶ୍ୱାସ ଓ ଭରଷା ରଖି ଏହି ପବିତ୍ର ଯାତ୍ରାରେ ସାମିଲ ହେଉଛନ୍ତି।

ଦଣ୍ଡଯାତ୍ର ଆସ୍ଥା ଭକ୍ତି ଓ ସଂସ୍କୃତି ର ପ୍ରତିକ
ଦଣ୍ଡଯାତ୍ରା କେବଳ ଏକ ପାରମ୍ପରିକ ପର୍ବ ନୁହେଁ, ଏହା ଗଞ୍ଜାମ ଜିଲ୍ଲାର ଆସ୍ଥା, ଭକ୍ତି ଓ ସଂସ୍କୃତିର ଜୀବନ୍ତ ପ୍ରତୀକ। ପ୍ରତିବର୍ଷ ହଜାର ହଜାର ମାନସିକ ଧାରୀ ଦଣ୍ଡୁଆମାନେ ନିଜର ମନୋକାମନା ପୂରଣ ପାଇଁ କଷ୍ଟ ସହି ଏହି ଯାତ୍ରାରେ ଅଂଶଗ୍ରହଣ କରନ୍ତି। ସେମାନେ କଷବସ୍ତ୍ର ପରିଧାନ କରି, ହାତରେ ପିଞ୍ଛ ଓ ବାନା ଧରି, ଶୁଦ୍ଧ ମନ ଓ ଶରୀର ସହ ମା’ଙ୍କ ଆରାଧନା କରିଥାନ୍ତି। ଯାତ୍ରାର ପ୍ରଥମ ଦିନରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାଳୀ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ କାର୍ଯ୍ୟକ୍ରମ ଆରମ୍ଭ ହୁଏ। ପ୍ରଭାତ ସମୟରେ ଦଣ୍ଡୁଆମାନେ ଗାଁ ପୋଖରୀରେ ପବିତ୍ର ସ୍ନାନ କରି ମା’ ରୁଦ୍ରକାଳୀଙ୍କ ନିକଟରେ ବ୍ରତ ଗ୍ରହଣ କରନ୍ତି। ତା’ପରେ ଗ୍ରାମର ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଥାଏ, ଯାହା ଏହି ପର୍ବର ସାମୁହିକ ଆଧ୍ୟାତ୍ମିକତାକୁ ପ୍ରକାଶ କରେ।
ଭଞ୍ଜନଗର ବ୍ଲକ ଗାଲେରି ଗ୍ରାମ ରେ କେମିତି ହୁଏ ଅନୁଷ୍ଠିତ ଦଣ୍ଡଯାତ୍ରା
ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ଗାଲେରି ଗ୍ରାମର ପ୍ରସିଦ୍ଧ ମା କାଳୀ ପୀଠରେ ଏବେ ତେର ଦିନିଆ ଦଣ୍ଡଯାତ୍ରା ଧୁମଧାମରେ ଚାଲିଛି। ଅପରାହ୍ନରେ ଦାଣ୍ଡ ଭ୍ରମଣ, ଦଣ୍ଡ ଓ ପାଣି ଦଣ୍ଡ ପରି ବିଭିନ୍ନ କଠିନ ଆଚାର ଅନୁଷ୍ଠିତ ହୁଏ। ସନ୍ଧ୍ୟା ସମୟରେ ଆଳତି ଓ ଭକ୍ତିମୟ ସଙ୍ଗୀତ ମାଧ୍ୟମରେ ପରିବେଶ ଆହୁରି ମନୋମୁଗ୍ଧକର ହୋଇଯାଏ। ରାତିରେ ଦଣ୍ଡୁଆମାନେ ଅନ୍ନ ପ୍ରସାଦ ସେବନ କରି ନିଜର ବ୍ରତ ପାଳନ କରନ୍ତି।

ମା ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ
ଏହି ଯାତ୍ରା ସମୟରେ ସମସ୍ତ ଗ୍ରାମ ଆଧ୍ୟାତ୍ମିକ ଉତ୍ସବରେ ପରିଣତ ହୋଇଥାଏ। ଆଖପାଖ ଗ୍ରାମର ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇଁ ଭିଡ଼ କରି, ନିଜର ମନୋକାମନା ପୂରଣ ପାଇଁ କୃପା ଭିକ୍ଷା କରନ୍ତି। ଦଣ୍ଡଯାତ୍ରା ତେର ଦିନ ଧରି ଚାଲି ମହାବିଷୁବ ପଣା ସଂକ୍ରାନ୍ତି ଦିନ ଶେଷ ହୁଏ, ଯାହା ଓଡ଼ିଶାର ଏକ ଅତ୍ୟନ୍ତ ପବିତ୍ର ଅବସର।
ଗୋଟିଏ ଦୃଷ୍ଟିରୁ ଦଣ୍ଡଯାତ୍ରା ଗଞ୍ଜାମ ଜିଲ୍ଲାର ଧାର୍ମିକ ଆସ୍ଥା, ସାମୂହିକ ଏକତା ଓ ସଂସ୍କୃତିକ ଐତିହ୍ୟର ଅନନ୍ୟ ଉଦାହରଣ। ଏହା ଲୋକମାନଙ୍କ ମନରେ ଭକ୍ତି, ସହିଷ୍ଣୁତା ଓ ଆତ୍ମଶୁଦ୍ଧିର ଭାବନାକୁ ଜାଗୃତ କରେ।
ଦଣ୍ଡଯାତ୍ରା ଓଡ଼ିଶାର ଗଞ୍ଜାମ, ବରଗଡ଼, ଗଜପତି ଆଦି ଅଞ୍ଚଳରେ ପ୍ରଚଳିତ ଏକ ପ୍ରାଚୀନ ଧାର୍ମିକ ପର୍ବ ଅଟେ। ଏହା ମୁଖ୍ୟତଃ ଭଗବାନ ଶିବ ଓ ଦେବୀ କାଳୀଙ୍କ ପ୍ରତି ଭକ୍ତି ଓ ନିଷ୍ଠା ପ୍ରଦର୍ଶନ ପାଇଁ ପାଳିତ ହୁଏ।
ଦଣ୍ଡୁଆ ମାନେ ନିଜ ପାପ ରୁ ମୁକ୍ତି ପାଇବା ପାଇଁ ଏବଂ ଆତ୍ମାକୁ ପବିତ୍ର କରିବା ପାଇଁ ଏହି ଯାତ୍ରା କରନ୍ତି। ସେମାନେ କଠୋର ନିୟମ ମାନି ଉପବାସ ରହି ବିଭିନ୍ନ ପ୍ରକାର ର ଦଣ୍ଡ ନାଚ ପ୍ରଦର୍ଶନ କରିଥାନ୍ତି। ଦଣ୍ଡଯାତ୍ରା ହେଉଛି ଭକ୍ତି, ତ୍ୟାଗ, ଶ୍ରଦ୍ଧା ଓ ଆତ୍ମଶୁଦ୍ଧିର ପର୍ବ, ଯେଉଁଠାରେ ଭକ୍ତମାନେ ଦେବୀ ଦେବତାଙ୍କ ପ୍ରତି ନିଜର ଶ୍ରଦ୍ଧା ଓ ଭକ୍ତିଭାବ ପ୍ରଦର୍ଶନ କରନ୍ତି।