ଚୈତ୍ର ମାସର ପବିତ୍ର ଚତୁର୍ଦଶୀ ତିଥିରେ ଦେବଗଡ଼ ଜିଲ୍ଲାର ବଣିଆକଲିଣ୍ଡା ଗ୍ରାମରେ ମା ବ୍ରାହ୍ମଣୀଦେଇ ଙ୍କ ପର୍ବ ଭକ୍ତି ଓ ଆନନ୍ଦର ସହିତ ପାଳିତ ହୋଇଥାଏ। ପ୍ରକୃତିକ ସୁନ୍ଦର ପରିବେଷ ଘେରା ଏହି ପବିତ୍ର ସ୍ଥାନ ଏକ ପାହାଡ଼ ଧାରକୁ ଲାଗିଥିବା ଝରଣା ପାର୍ଶ୍ୱରେ ଅବସ୍ଥିତ, ଯାହା ଭକ୍ତମାନଙ୍କ ପାଇଁ ଆଧ୍ୟାତ୍ମିକ ଶାନ୍ତି ଓ ପ୍ରକୃତିକ ସୌନ୍ଦର୍ଯ୍ୟର ଅଦ୍ଭୁତ ସମନ୍ୱୟ ଉପସ୍ଥାପନ କରେ।

ମା ବ୍ରାହ୍ମଣୀଦେଇ ଙ୍କ ପବିତ୍ର ପର୍ବ ରେ ବଣିଆକଲିଣ୍ଡା ଗ୍ରାମରେ ଭକ୍ତି, ପରମ୍ପରା ଓ ପ୍ରକୃତିର ଅଦ୍ଭୁତ ସମନ୍ୱୟ
ମା ବ୍ରାହ୍ମଣୀଦେଇ ଙ୍କ ଆବିର୍ଭାବ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଗାଢ଼ ଆସ୍ଥା ରହିଛି। କୁହାଯାଏ ଯେ, ପ୍ରଧାନପାଟ ଜଙ୍ଗଲରୁ ଆସୁଥିବା ଏକ ଝରଣା ଶାଖା ପାଖରେ ମାଙ୍କ ର ଦିବ୍ୟ ପ୍ରକାଶ ହୋଇଥିଲା। ସେଥିଠାରୁ ଏହି ସ୍ଥାନ ଏକ ପବିତ୍ର ତୀର୍ଥକ୍ଷେତ୍ରର ରୂପ ନେଇଛି। ପ୍ରତିବର୍ଷ ଏହି ଦିନରେ ହଜାର ହଜାର ଭକ୍ତ ଏଠାକୁ ଆସି ମାଙ୍କ ଦର୍ଶନ କରି ନିଜର ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରନ୍ତି।
ପର୍ବର ପରିଚୟ ଓ ଧାର୍ମିକ ମହତ୍ତ୍ୱ
ମାନସିକ ପୂରଣ ପରେ ଭକ୍ତମାନେ ନିଜର ଇଚ୍ଛା ପୂରଣ ହେବାର କୃତଜ୍ଞତା ସୂଚକ ଭାବରେ ନାନା ପ୍ରକାର ଉପହାର ଓ ଭେଟି ମାଙ୍କୁ ଅର୍ପଣ କରନ୍ତି। ଏହା ଏକ ପୁରାତନ ପରମ୍ପରା ଯାହା ଆଜି ପର୍ଯ୍ୟନ୍ତ ଅବିକୃତ ଭାବରେ ଚାଲିଆସୁଛି। ପୂଜା ସମୟରେ ସମଗ୍ର ପରିବେଶ ଭକ୍ତିମୟ ହୋଇଯାଏ ଏବଂ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳେ।

ଝରଣା, ପାହାଡ଼ ଓ ଜଙ୍ଗଲର ମନୋହର ପ୍ରାକୃତ ସୌନ୍ଦର୍ଯ୍ୟ ପରିବେଶ
ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ଅତ୍ୟନ୍ତ ମନୋହର। ଝରଣାର ପରିଷ୍କାର ପାଣି, ଚାରି ପାର୍ଶ୍ୱ ରେ ସବୁଜ ଜଙ୍ଗଲ, ପକ୍ଷୀ ମାନଙ୍କର କିଚିରିମିଚିରି ଶବ୍ଦ ଏବଂଶାନ୍ତ ପରିବେଶ ଦର୍ଶକମାନଙ୍କୁ ମୋହିତ କରିଦେଇଥାଏ। ଏହି କାରଣରୁ ଅନ୍ୟ ସମୟରେ ମଧ୍ୟ ଲୋକମାନେ ଏଠାକୁ ବଣଭୋଜି ଓ ବିନୋଦ ପାଇଁ ଆସୁଥାନ୍ତି। କିନ୍ତୁ ଏତେ ସୁନ୍ଦର ଓ ପବିତ୍ର ସ୍ଥାନ ହେଉଥିବା ସତ୍ତ୍ୱେ ଏଠାରେ ଯାତାୟାତ ଓ ପ୍ରାଥମିକ ସୁବିଧାର ଅଭାବ ଦେଖିବାକୁ ମିଳେ। କଚ୍ଚା ମାଟିର ରାସ୍ତା ଥିବାରୁ ଭକ୍ତମାନଙ୍କୁ ଏଠାକୁ ପହଞ୍ଚିବାରେ ଅସୁବିଧା ହେଉଛି। ଯଦି ଏଠାରେ ଭଲ ରାସ୍ତା, ପାଣି ସଂରକ୍ଷଣ ବ୍ୟବସ୍ଥା, ପାହାଚ ଓ ସୌନ୍ଦର୍ଯ୍ୟକରଣ କାମ କରାଯାଏ, ତେବେ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବାର ସମ୍ଭାବନା ରହିଛି।
ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶର ସମ୍ଭାବନା
ଦେବଗଡ଼ ଜିଲ୍ଲା ପ୍ରକୃତିର ଏକ ଅମୂଲ୍ୟ ବରଦାନ , ଯେଉଁଠାରେ ଜଙ୍ଗଲ, ପାହାଡ଼ ଓ ଝରଣାର ସମୃଦ୍ଧି ହୋଇ ରହିଛି। ତଥାପି ଯଥାର୍ଥ ପ୍ରଚାର ଓ ପ୍ରଶାସନିକ ଧ୍ୟାନର ଅଭାବରୁ ଏହି ସବୁ ସ୍ଥାନ ଅବହେଳିତ ହୋଇ ରହିଯାଇଛି। ଯଦି ଜିଲ୍ଲା ପ୍ରଶାସନ ଏଥିରେ ଗୁରୁତ୍ୱ ଦିଅନ୍ତେ , ତେବେ ଦେଶ-ବିଦେଶରୁ ପର୍ଯ୍ୟଟକମାନେ ଆକର୍ଷିତ ହେବେ ଓ ଏଥିରୁ ସ୍ଥାନୀୟ ଅର୍ଥନୀତି ମଧ୍ୟ ଉନ୍ନତି ପାଇବ।

ସମଗ୍ର ଅଞ୍ଚଳବାସୀ ଏହି ପବିତ୍ର ସ୍ଥାନର ଉନ୍ନତି ପାଇଁ ଆଶା ଓ ଆକାଂକ୍ଷା ରଖିଛନ୍ତି। ଯାହା ଭବିଷ୍ୟତରେ ଦେବଗଡ଼କୁ ଏକ ନୂଆ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇପାରିବ।