କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅଧୀନସ୍ଥ ପି.ଏମ୍ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବକୁ ନେଇ ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳୁଛି। ୭୫ ବର୍ଷର ସଫଳ ଶିକ୍ଷା ଯାତ୍ରାକୁ ସ୍ମରଣ କରିବା ପାଇଁ ଏହି ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ୟକ୍ରମ ଆୟୋଜିତ ହେଉଛି। ଏହି ଅବସରରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବା ର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଥିବାରୁ ସମଗ୍ର ଅଞ୍ଚଳରେ ଆନନ୍ଦ ଓ ଗର୍ବର ପରିବେଶ ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ ଙ୍କ ଯୋଗଦାନ ପୂର୍ବରୁ ମଶାଲ ଶୋଭାଯାତ୍ରାର
ପ୍ଲାଟିନମ୍ ଜୟନ୍ତୀ ଉତ୍ସବ ର ପ୍ରଥମ ପର୍ଯ୍ୟାୟ ରେ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକମଣ୍ଡଳୀ ଏବଂ ସ୍ଥାନୀୟ ବାସିନ୍ଦା ମାନେ ଭାଗ ନେଇଥିଲେ। ହାତରେ ମଶାଲ ଧରି ସେମାନେ ଅଞ୍ଚଳ ର ବିଭିନ୍ନ ରାସ୍ତା ଦେଇ ଯାତ୍ରା କରିଥିଲେ। ବିଦ୍ୟାଳୟର ଐତିହ୍ୟ ଓ ସଫଳତାକୁ ସ୍ମରଣ କରିଥିଲେ। ଏହି ଶୋଭାଯାତ୍ରା ଅଞ୍ଚଳରେ ଏକତା ଓ ସମ୍ପ୍ରୀତିର ପ୍ରତୀକ ଭାବେ ପରିଚିତ ହୋଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପରିଚାଳନା କମିଟିଙ୍କ ନିର୍ଦେଶ ଆନୁସାରେ , ପ୍ଲାଟିନମ୍ ଜୟନ୍ତୀ ଉପଲକ୍ଷେ ଅନେକ ସାଂସ୍କୃତିକ ଓ ଶିକ୍ଷାମୂଳକ କାର୍ୟକ୍ରମ ଆୟୋଜନ କରାଯିବା ର ସ୍ଥିରୀକୃତ ହୋଇଛି । ସେଥିରେ ସାହିତ୍ୟ ଅସର, ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ, କ୍ରୀଡା ପ୍ରତିଯୋଗିତା ଓ ସମ୍ମାନ ସମାରୋହ ମୁଖ୍ୟ ଆକର୍ଷଣ ହେବ। ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଆମନ୍ତ୍ରଣ କରି ସେମାନଙ୍କର ଅନୁଭବ ବିନିମୟ ମଧ୍ୟ କରାଯିବ।

ପ୍ଳାଟିନମ୍ ଜୁବୁଲି ଅବସରରେ ବିଦ୍ୟାଳୟ ପକ୍ଷରୁ କଣ ରହିଛି ପ୍ରସ୍ତୁତି
ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନକୁ ନେଇ ବିଦ୍ୟାଳୟ ପକ୍ଷରୁ ବିଶେଷ ପ୍ରସ୍ତୁତି ଚାଲିଛି। ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ମଞ୍ଚ ସଜାଣା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ନିଖୁତ ଭାବରେ ପ୍ରସ୍ତୁତ କରାଯାଉଛି। ସ୍ଥାନୀୟ ପ୍ରଶାସନ ମଧ୍ୟ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମ୍ପୂର୍ଣ ସହଯୋଗ କରୁଛି। ଏହା ଅଞ୍ଚଳର ଶିକ୍ଷା ଉନ୍ନତି ପାଇଁ ଏକ ନୂତନ ପ୍ରେରଣା ଦେବ ବୋଲି ଆଶା କରାଯାଉଛି। ଏହି ବିଦ୍ୟାଳୟ ଗତ ୭୫ ବର୍ଷ ଧରି ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇ ସମାଜରେ ସ୍ଥାନ ଦେଇଆସିଛି। ଏଠାରୁ ପାସ୍ କରିଥିବା ଅନେକ ଛାତ୍ରଛାତ୍ରୀ ଆଜି ବିଭିନ୍ନ କ୍ଷେତ୍ରରେ ସଫଳତାର ସିଢ଼ି ଚଢ଼ିଛନ୍ତି। ତେଣୁ ଏହି ପ୍ଲାଟିନମ୍ ଜୟନ୍ତୀ କେବଳ ଏକ ଉତ୍ସବ ନୁହେଁ, ବରଂ ଏକ ଗୌରବମୟ ଇତିହାସର ଉତ୍ସବ।
ମଶାଲ ଶୋଭାଯାତ୍ରାର ସଫଳ ସମାପ୍ତି ପରେ, ଆଜି ଧାମାଧୁମରେ ମୁଖ୍ୟ ଉତ୍ସବ ପାଳନ ହେବାକୁ ଯାଉଛି। ବିଦ୍ୟାଳୟର ଗୌରବ ଓ ଅଞ୍ଚଳର ସଂସ୍କୃତି ଆହୁରି ଉଜ୍ଜ୍ୱଳ ହେବ ବୋଲି ସମସ୍ତଙ୍କର ଆଶା ରହିଛି। ପି.ଏମ୍ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବ ଏକ ଐତିହାସିକ ମୁହୂର୍ତ୍ତ ଭାବେ ସ୍ଥାନ ପାଇବ। ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ଏହି ଉତ୍ସବକୁ ଆହୁରି ଗରିମାମୟ କରିବ ବୋଲି ଅଞ୍ଚଳବାସୀ ଆଶା କରୁଛନ୍ତି।