ଆଜି ଘସିପୁରା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଙ୍କ ଧାର୍ମିକ ଓ ଶିକ୍ଷା ମୂଳକ ଗସ୍ତ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହ ଦେଖାଯାଇଥିଲା। ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ବଳରାମପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ। ସ୍ଥାନୀୟ ପ୍ରଶାସନ, ଦଳୀୟ କର୍ମୀ ଓ ସାଧାରଣ ଲୋକ ମାନଙ୍କ ଦ୍ୱାରା ତାଙ୍କୁ ଉତ୍ସାହ ର ସହ ସ୍ୱାଗତ କରାଯାଇଥିଲା।

ଏହି ଧାର୍ମିକ ଗସ୍ତ ରେ ବାବା କୁଶଳେଶ୍ୱର ମହାଦେବ ଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ହେଲିପ୍ୟାଡରୁ ସିଧାସଳଖ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ପ୍ରାଚୀନ ଶୈବ ପୀଠ ବାବା କୁଶଳେଶ୍ୱର ମନ୍ଦିର ରେ ପହଞ୍ଚିଥିଲେ। ଏହି ପବିତ୍ର ସ୍ଥାନରେ ପହଞ୍ଚିବା ସହ ସେଠାରେ ପୂଜକମାନେ ଏବଂ ଗ୍ରାମବାସୀମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ପରେ ସେ କୁଶଳେଶ୍ୱର ମହାଦେବଙ୍କ ଦର୍ଶନ କରି ରାଜ୍ୟର ସୁଖ, ସମୃଦ୍ଧି ଓ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ଏକ ଧାର୍ମିକ ଓ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଭିଡ଼ ଲଗାଇଥିଲେ। ତାଙ୍କ ସହ ମିଶିବା ଓ ତାଙ୍କ ଦର୍ଶନ କରିବାକୁ ସମସ୍ତେ ଆଗ୍ରହୀ ଥିଲେ।

ପି ଏମ୍ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବ ରେ ଯୋଗଦାନ
ବାବା କୁଶଳେଶ୍ୱର ମହାଦେବ ଙ୍କ ଦର୍ଶନ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଦେଓଗାଁ ସ୍ଥିତ ପି.ଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବରେ ଯୋଗଦେଇଥିଲେ। ସେଠାରେ ସେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟକ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ତେଲକୋଇ ବିଧାୟକ ଡ଼. ଫକିର ମୋହନ ନାୟକ ଓ ଘସିପୁରା ବିଧାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ମଧ୍ୟ ଶିକ୍ଷାର ଉନ୍ନତି ଓ ଅଞ୍ଚଳର ବିକାଶ ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ।

ନିଜ ଉଦବୋଧନ ରେ ଶିକ୍ଷା ର ବିକାଶ ଦିଗ ରେ ଗୁରୁତ୍ୱ ଦେଲେ
ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଶିକ୍ଷାର ବିକାଶ ଦିଗରେ ଗୁରୁତ୍ୱ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏକ ସୁସଂସ୍କୃତ ସମାଜ ଗଠନ ପାଇଁ ଶିକ୍ଷା ହେଉଛି ମୂଳ ଆଧାର। ଏହା ସହ ଅଞ୍ଚଳର ମୌଳିକ ସୁବିଧା, ଢାଞ୍ଚାଗତ ବିକାଶ ଓ ଯୁବପିଢ଼ିଙ୍କ ଉନ୍ନତି ପାଇଁ ସରକାରଙ୍କ ପ୍ରୟାସ ବିଷୟ ରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହି ଗସ୍ତ ଦ୍ୱାରା ସ୍ଥାନୀୟ ଲୋକମାନେ ଅନେକ ଆଶା ଓ ଆଶ୍ୱାସନା ପାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ତାଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ଭରିଦେଇଥିଲା। ମୁଖ୍ୟମନ୍ତ୍ରୀ ଙ୍କ ଏହି ଗସ୍ତ ଧାର୍ମିକ ଓ ସାମାଜିକ ମହତ୍ତ୍ୱରେ ପରିପୂର୍ଣ୍ଣ ଥିଲା। ମନ୍ଦିର ଦର୍ଶନ ଓ ଶିକ୍ଷା ଉତ୍ସବରେ ଯୋଗଦାନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଘସିପୁରା ଅଞ୍ଚଳରେ ଏକ ସକାରାତ୍ମକ ସନ୍ଦେଶ ପ୍ରେରଣ କରିଥିଲେ। ଏହି ଦୌରା ଅଞ୍ଚଳର ଉନ୍ନତି ପଥକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।