ପାଟନା: ମଙ୍ଗଳବାର ଦିନ ବିହାରର ନାଳନ୍ଦା ଜିଲ୍ଲାର ମା ଶୀତଳା ମନ୍ଦିରରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି ପାଇଛି। କାରଣ ଆହତଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ନିଆଯାଇଛି।ଜଣେ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ସକାଳେ ଦୀପ ନଗର ପୋଲିସ ଷ୍ଟେସନ ଅଧୀନରେ ଥିବା ଶୀତଳା ମାତା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଏହି ଘଟଣା ଘଟିଥିଲା।

କୋଉ କାରଣ ଯୋଗୁଁ ମା ଶୀତଳା ମନ୍ଦିର ଆଗରେ ଘଟିଲା ଦଳାଚକଟା
ମଙ୍ଗଳବାର ଦିନ ସାଧାରଣତଃ ମନ୍ଦିରରେ ପ୍ରବଳ ଭିଡ଼ ଦେଖାଯାଏ। କିନ୍ତୁ ଚୈତ୍ର ମାସର ଶେଷ ମଙ୍ଗଳବାର ହୋଇଥିବାରୁ ଲୋକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିଲା। ବିହାର ସରିଫ ସହକାରୀ ପୋଲିସ ଅଧିକ୍ଷକ ନୁରୁଲ ହକ୍ କହିଛନ୍ତି, ମଙ୍ଗଳବାର ସକାଳେ ଶୀତଳା ମାତା ମନ୍ଦିରରେ ଦଳାଚକଟା ଘଟି ଅତି କମରେ ଆଠ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।ଜିଲ୍ଲା ପ୍ରଶାସନର ପୋଲିସ କର୍ମଚାରୀ ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ
ମନ୍ଦିର ଭିତରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଯାହା ଫଳରେ ଭକ୍ତମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବାହାରକୁ ଯିବା ପାଇଁ ତତ୍ପରତା ପ୍ରକାଶ କରିବା ସମୟରେ, ଅନେକ ମହିଳା ଫସି ଯାଇଥିଲେ। ଗୁରୁତର ଆହତ ହୋଇଥିଲେ।ଦଳାଚକଟାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରଥମ ଦୃଷ୍ଟିରୁ ଏହା ଜଣାପଡୁଛି ଯେ ଭିଡ଼ ନିୟନ୍ତ୍ରଣରେ ସମ୍ଭାବ୍ୟ ତ୍ରୁଟି ଏବଂ ଅପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଏହି ଦୁର୍ଘଟଣାର କାରଣ ପାଲଟିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକ ଙ୍କ ପରିବାର କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳାଚକଟାରେ ପ୍ରାଣହାନି ପାଇଁ ଶୋକ ପ୍ରକାଶ କରିଛନ୍ତି। ଏବଂ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। “ବିହାରର ନାଳନ୍ଦା ଜିଲ୍ଲାରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ମୋର ସମବେଦନା ଜଣାଉଛି। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି,” ପ୍ରଧାନମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଶୋକ ପ୍ରକାଶ କରିଛନ୍ତି
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଭକ୍ତଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିଛନ୍ତି।ଏବଂ ଆର୍ଥିକ ସହାୟତା ସ୍ୱରୂପ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ବିଭାଗ ମଧ୍ୟ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛି।
ଦଳାଚକଟା ପାଇଁ ଶୋକ ପ୍ରକାଶ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଏହି ଘଟଣା “ଅତ୍ୟନ୍ତ ହୃଦୟବିଦାରକ”।”ମୁଁ ସମସ୍ତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି,”।