ଭଦ୍ରକ ଜିଲ୍ଲାରେ ଗୋମାଫିଆ ଓ ଅବୈଧ ଗୋ ଚାଲାଣ ନେଇ ପୋଲିସ ଆଜି ବଡ଼ ଅପରେସନ୍ ଆରମ୍ଭ କରିଛି। ଏକ ସୁନିୟନ୍ତ୍ରିତ ଯୋଜନା ଓ ଅଭିଯାନରେ ଭଦ୍ରକ ପୋଲିସ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ଗୋ ମାଫିଆ ବିଛେଇଥିବା ଜାଲକୁ ଭଙ୍ଗିବାକୁ ଚେଷ୍ଟା କରୁଛି। ପୁରୁଣା ବଜାର ଓ ଗୁଜି ଦରଡା ଅଞ୍ଚଳ ସହିତ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡିକରେ ଏହି ଚଢ଼ାଉ ଜାରି କରାଯାଇଥିଲା ।

ଗୋମାଫିଆ ଙ୍କୁ ଧରିବା ସହ ଏହି ଅଭିଯାନ ର ମୂଳଲକ୍ଷ୍ୟ କଣ ଥିଲା
ସୂଚନା ଅନୁଯାୟୀ, ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଅବୈଧ ଗୋଚାଲାଣ ରେ ଜଡିତ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ଓ ସେମାନଙ୍କ ଅର୍ଥନୈତିକ ସଂସାଧନକୁ ଜବତ କରିବା। ଏପର୍ଯ୍ୟନ୍ତ ଚଢ଼ାଉରେ ପୋଲିସ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଗହଣା ଓ ବିଭିନ୍ନ ସମ୍ପତ୍ତି ଠାବ କରିଛି। ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ୨୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି, ଯାହା ଏହି ଅବୈଧ କାରବାରର ଭୟାବହତାକୁ ପ୍ରକାଶ କରୁଛି। ଚଢ଼ାଉ ସମୟରେ କେବଳ ଅର୍ଥ ସମ୍ପତ୍ତି ନୁହେଁ, ବରଂ ବିଭିନ୍ନ ଅସ୍ତ୍ରଶସ୍ତ୍ର ମଧ୍ୟ ପୋଲିସ ହାତରେ ପଡ଼ିଛି। ଚି଼ହ୍ନଟ ଘର ଗୁଡିକୁ ଯାଇ ପୋଲିସ ର ଛାନବିନ କରିବା ବେଳେ ବନ୍ଧୁକ, ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଥିବାରୁ ଏହା ସ୍ପଷ୍ଟ ହେଉଛି ଯେ ଏହି ଗୋ ମାଫିଆ ମାନେ କେବଳ ତସ୍କରୀରେ ନୁହେଁ, ବରଂ ଗୁରୁତର ଅପରାଧୀକ କାର୍ଯ୍ୟକଳାପରେ ମଧ୍ୟ ଜଡିତ ଥିବା ସନ୍ଦେହ ରହିଛି।

ଗୋ ତସ୍କର ଙ୍କ ଘର ଭିତରେ ଥିବା ଗୁପ୍ତ ଚ୍ୟାମ୍ବର ର ରହସ୍ୟ କଣ
ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି କିଛି ଘର ଭିତରେ ଗୁପ୍ତ ଚ୍ୟାମ୍ବର ଠାବ ହେଇଛି। ପୋଲିସ ର ତଦନ୍ତରେ ଜଣାପଡ଼ିଛି ଯେ ଏହି ସିକ୍ରେଟ ଚ୍ୟାମ୍ବର ଗୁଡିକରେ ଅବୈଧ ଟଙ୍କା, ଗହଣା ଓ ଅସ୍ତ୍ର ଲୁଚାଇ ରଖିବା ପାଇଁ ବ୍ୟବହାର କରାଯାଉଥିଲା । ଏସବୁ ଦେଖି ପୋଲିସ ଅଧିକାରୀମାନେ ଅଧିକ ସତର୍କ ହୋଇଛନ୍ତି ଓ ଏହି ଚକ୍ରର ଗଭୀରତାକୁ ଖୋଜିବା ପାଇଁ ପ୍ରଚେଷ୍ଟା ବଢ଼ାଇଛନ୍ତି।
ଏହି ଅଭିଯାନ ରେ ପୋଲିସ ସହ ମାଜିଷ୍ଟ୍ରେଟ ସ୍ତରର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ସମସ୍ତ ଜବତ ସମ୍ପତ୍ତିର ଆକଳନ କରିଛନ୍ତି । ଏପର୍ଯ୍ୟନ୍ତ ୫ ଜଣ ସନ୍ଦିଗ୍ଧ ଗୋ ମାଫିଆଙ୍କୁ ଅଟକ ରଖାଯାଇଛି ଓ ସେମାନଙ୍କୁ ପଚାରାଉଚାରି କରାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ତନାଘନା କରୁଛି।

ସମସ୍ତ ଜବତ ଟଙ୍କା ଓ ସମ୍ପତ୍ତି ର ଆନୁମାନିକ ମୂଲ୍ୟ କଣ କହୁଛନ୍ତି ତଦନ୍ତକାରୀ ଅଧିକାରୀ
ପୋଲିସ ସୂଚନା ଅନୁଯାୟୀ, ଚଢ଼ାଉ ଚାଲିଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ତଥ୍ୟ ସାର୍ବଜନୀନ କରାଯାଇନାହିଁ। ତଥାପି, ଆସନ୍ତା କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଜବତ ଟଙ୍କା, ଗହଣା ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ବନ୍ଧୀୟ ତଥ୍ୟ ପୋଲିସ ପକ୍ଷରୁ ଜାରି କରାଯିବ। ସ୍ଥାନୀୟ ଲୋକମାନେ ଏହି ଚଢ଼ାଉକୁ ସ୍ୱାଗତ କରିଥିବା ବେଳେ ଦୀର୍ଘଦିନ ଧରି ଚାଲୁଥିବା ଗୋ ତସ୍କରୀ ରାକେଟକୁ ଭଙ୍ଗିବା ପାଇଁ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ଏହି ଅଭିଯାନ ପରେ ଜିଲ୍ଲାରେ ଅବୈଧ ଗୋ ଚାଲାଣ ଉପରେ ନିୟନ୍ତ୍ରଣ ଆସିବ ବୋଲି ଆଶା କରାଯାଉଛି। ସମଗ୍ର ଘଟଣା ଏବେ ତଦନ୍ତ ଅଧୀନ ରହିଥିବା ବେଳେ, ପୋଲିସ ଆହୁରି ଚଢ଼ାଉ କରିବାର ସମ୍ଭାବନା ଥିବା କୁହାଯାଉଛି। ଏହି ଘଟଣା ଭଦ୍ରକ ଜିଲ୍ଲାରେ ଅପରାଧୀକ କାର୍ଯ୍ୟକଳାପ ଉପରେ ଏକ ନୂଆ ଆଲୋଚନାକୁ ଜନ୍ମ ଦେଇଛି ଓ ଆଗାମୀ ଦିନରେ ପୋଲିସ କାର୍ଯ୍ୟପ୍ରଣାଳୀ କେତେ ସଫଳ ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।